🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଶ୍ରେଣୀଗୃହରେ ହନୁ ମାଙ୍କଡ଼ର ଉତ୍ପାତ: ୭ ଛାତ୍ରଛାତ୍ରୀ ଆହତ, ଭୟରେ ସ୍କୁଲ ଛୁଟି ଘୋଷଣା


ପାଟଣା (21/09) କ୍ଲାସ ଚାଲିଥିବା ସମୟରେ ହଠାତ୍ ଶ୍ରେଣୀଗୃହରେ ପଶି ଆତଙ୍କ ଖେଳାଇଲା ଏକ ହନୁ ମାଙ୍କଡ଼। ମାଙ୍କଡ଼ର ଅତର୍କିତ ଆକ୍ରମଣରେ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସ୍କୁଲ କର୍ତ୍ତୃପକ୍ଷ ବିଦ୍ୟାଳୟକୁ ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଦଧିବାମନ ସରକାରୀ ଉଚ୍ଚ ବିଦ୍ୟାଳୟରେ। ପ୍ରାପ୍ତ ସୂଚନା ମୁତାବକ, ପ୍ରତିଦିନ ଭଳି ବିଦ୍ୟାଳୟରେ ଶିକ୍ଷାଦାନ ସ୍ୱାଭାବିକ ଭାବେ ଚାଲିଥିଲା। ଏହି ସମୟରେ ହଠାତ୍ ଏକ ବିରାଟକାୟ ହନୁ ମାଙ୍କଡ଼ ଶ୍ରେଣୀଗୃହ ଭିତରକୁ ପଶି ଆସିଥିଲା। ମାଙ୍କଡ଼ଟି ପ୍ରଥମେ ଡେସ୍କ-ବେଞ୍ଚ ଉପରେ ଚଢ଼ି ପିଲାମାନଙ୍କ ବହି-ଖାତା କାମୁଡ଼ି ଚିରି ନଷ୍ଟ କରିଥିଲା। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରି ଗୋଡ଼ାଇ ଗୋଡ଼ାଇ କାମୁଡ଼ିବା ଆରମ୍ଭ କରିଦେଇଥିଲା। ଏଥିରେ ପ୍ରାୟ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ମାଙ୍କଡ଼ର ଏପରି ଉଗ୍ର ରୂପ ଦେଖି ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ଜୀବନ ବିକଳରେ ଶ୍ରେଣୀଗୃହରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଘଟଣା ପରେ ସମଗ୍ର ବିଦ୍ୟାଳୟ ପରିସରରେ ଆତଙ୍କ ଓ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଶିକ୍ଷକମାନେ ତୁରନ୍ତ ଆହତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇବା ସହ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପିଲାମାନଙ୍କ ମଧ୍ୟରେ ଭୟର ବାତାବରଣ ଦୂର ନହେବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ପ୍ରଧାନ ଶିକ୍ଷକ ତୁରନ୍ତ ବିଦ୍ୟାଳୟକୁ ଦିନକ ପାଇଁ ଛୁଟି ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜନବସତି ଓ ଶିକ୍ଷାନୁଷ୍ଠାନ ପରିସରରେ ବନ୍ୟପ୍ରାଣୀ ବିଶେଷକରି ମାଙ୍କଡ଼ଙ୍କ ଉପଦ୍ରବ ବଢ଼ୁଥିବାରୁ ବନ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମାଙ୍କଡ଼କୁ ଧରି ଜଙ୍ଗଲରେ ଛାଡ଼ିବା ପାଇଁ ଅଭିଭାବକ ତଥା ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି ।

Previous Post Next Post