
ଗଞ୍ଜେଇ ଚୋରା କାରବାରର ମୂଳପୋଛ କରିବାକୁ ଖୋର୍ଦ୍ଧା ପୋଲିସର ବଡ଼ ସଫଳତା। ଗଞ୍ଜେଇ ସଂଗ୍ରହଠାରୁ ପରିବହନ ଓ ବିକ୍ରି ପର୍ଯ୍ୟନ୍ତ ଚାଲିଥିବା ଅନ୍ତଃଜିଲ୍ଲା ରାକେଟ୍ର ପର୍ଦ୍ଦାଫାସ୍ କରିଛି ପୋଲିସ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିବା ସହ ୬୭ କିଲୋ ୩୩୦ ଗ୍ରାମ୍ ଗଞ୍ଜେଇ, ୩ଟି କାର୍, ୫ଟି ମୋବାଇଲ ଓ ନଗଦ ୧୨ ହଜାର ୩୦୦ ଟଙ୍କା ଜବତ କରିଛି। ଜବତ ସାମଗ୍ରୀର ମୋଟ ମୂଲ୍ୟ ୧୬ ଲକ୍ଷ ୨୦ ହଜାର ଟଙ୍କା ବୋଲି ଖୋର୍ଦ୍ଧା ଏସ୍ପିଙ୍କ ପ୍ରେସ୍ ରିଲିଜ୍ରୁ ସୂଚନା ମିଳିଛି।
AVO –ଖୋର୍ଦ୍ଧା ସଦର ଥାନା ପୋଲିସକୁ ମିଳିଛି ଏହି ବଡ଼ ସଫଳତା। ଗତ ୩ ତାରିଖ ସନ୍ଧ୍ୟାରେ ବିଶ୍ୱସନୀୟ ସୂଚନା ଆଧାରରେ ଏସ୍ପି ପରମାର ସ୍ମିତ ପରଶୋତ୍ତମଦାସଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା। ସଦର ଥାନା ଆଇଆଇସି ବାସୁଦେବ ଜୟସିଂହଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ଦୀପକ କୁମାର ପାକଳଙ୍କ ନେତୃତ୍ୱରେ ପୋଲିସ ଟିମ୍ ଦୁର୍ଗାପୁର ଗଡ଼ଗଡୁମସ୍ଥିତ ଗାଇଡାନ୍ସ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ଚଢ଼ାଉ କରି ୬ ଜଣଙ୍କୁ କାବୁ କରିଥିଲା।ପୋଲିସ ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ ଓ ବିକ୍ରି କରାଯାଉଥିଲା। ଏହି ନେଟୱର୍କରେ ଗଞ୍ଜେଇ ସଂଗ୍ରହକାରୀ, ପରିବହନକାରୀ, ଏସ୍କର୍ଟ ପାର୍ଟି ଓ ବିତରକ ସାମିଲ ଥିବା ଅଭିଯୋଗ ହୋଇଛି।ଗିରଫ ୬ ଅଭିଯୁକ୍ତ ହେଲେ ବାପି ଓରଫ ପିତା ରଞ୍ଜନ ନାୟକ, ଅଜୟ କୁମାର ମଲ୍ଲିକ, ମଧୁସୂଦନ ପାଣିଗ୍ରାହୀ, ସୁଧାଂଶୁ ଭୂଷଣ ଦାଶ, ଦୀପୁ ମଲ୍ଲିକ ଓ ରାହୁଲ କୁମାର ସିଂହ।
ଏହି ଘଟଣାରେ ଖୋର୍ଦ୍ଧା ସଦର ଥାନାରେ NDPS ଆଇନରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ନିଶା କାରବାରର ଅନ୍ୟ ସହଯୋଗୀ ଓ ଆର୍ଥିକ କାରବାର ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।
