
ପାଟଣା:(ଦଶରଥ ବାରିକ୍) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ମୂଷାଖୋରୀ ଗ୍ରାମର ଅଢ଼େଇକୁଳା ସାହିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭାଲୁକୁଣୀ ଓଷା ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି।ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପ୍ରତୀକ ଭାବେ ପରିଚିତ ଏହି ପର୍ବରେ ଗ୍ରାମର କୁମାରୀ କନ୍ୟାମାନେ ନିଷ୍ଠାର ସହ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଭୋର ସକାଳୁ ସ୍ନାନାଦି କାର୍ଯ୍ୟ ସାରି ଘରର ଚଉରା ମୂଳରେ ଝୋଟି-ଚିତା ଏବଂ ବିଭିନ୍ନ ପ୍ରକାର ଫୁଲରେ ସଜାଇ ମା’ଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା। ସନ୍ଧ୍ୟା ସମୟରେ ଧୂପ, ଦୀପ, ନୈବେଦ୍ୟ ସହିତ ଖୁଦଭଜା ଓ ଲିଆ ଅର୍ପଣ କରାଯାଇ ସାଧବ ଝିଅ ତଅପୋଇର ଉପାଖ୍ୟାନ ଗାନ କରାଯାଇଥିଲା। ଏହି ପର୍ବକୁ ନେଇ କୁମାରୀ ଝିଅମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ତଥା ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି ।
