
- ନୂଆପଡାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଅନୁଷ୍ଠିତ
- ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା
ନୂଆପଡ଼ା, ୦୪/୧୦: ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଉତ୍କଳ ବାଳାଶ୍ରମ, ଖଡ଼ିଆଳଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନ (Child Care Institution)ରେ ରହୁଥିବା ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା।
ଜିଲ୍ଲାର ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନ (Child Care Institution)—ଉତ୍କଳ ବାଳାଶ୍ରମ, ଖଡ଼ିଆଳ ଏବଂ ନବପ୍ରଭାତ ଓପନ୍ ସେଲ୍ଟର, ଖଡ଼ିଆଳରୁ ମୋଟ ୭୫ ଜଣ ଶିଶୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଓ କନିଷ୍ଠ ବିଭାଗରେ କୁଇଜ୍, ଚିତ୍ରାଙ୍କନ, ବକ୍ତୃତା, ଏକକ ସଙ୍ଗୀତ ଏବଂ ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ମହାଉତିଙ୍କ ତତ୍ତ୍ୱାବଧାନରେ ମହୋତ୍ସବର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଡ. ଫଣିନ୍ଦମ୍ ସିଂ ଦେଓ, ସମାଜସେବୀ ମହେନ୍ଦ୍ର ଯୋଶୀ, ଶିଶୁ କଲ୍ୟାଣ କମିଟି (CWC) ସଦସ୍ୟ ବିକାଶ ଲରେନ୍ସ ଏବଂ ଖଡ଼ିଆଳ CDPO ଲତା ଦିଗାଲ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।
ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ‘ଉତ୍ସାହ’ ଓ ‘ମହକ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
କାର୍ଯ୍ୟକ୍ରମରେ ସେଣ୍ଟ୍ ଜାଭିୟର୍ ପବ୍ଲିକ୍ ସ୍କୁଲ, ଖଡ଼ିଆଳର ଶିକ୍ଷୟିତ୍ରୀ ଚାନ୍ଦିନୀ ମୁଣ୍ଡ ଓ ହରିପ୍ରିୟା ସିଂ ବିଚାରକ ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ପ୍ରିୟଦର୍ଶିନୀ ଠାକୁର ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଶ୍ରୀନିବାସ ବେହେରା, ବିକାଶ ପାତ୍ରଙ୍କ ସମେତ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଅର୍ଚ୍ଚନା ପାଢ଼ୀ, ଦେବାଶିଷ ତାଣ୍ଡି, ଚନ୍ଦ୍ରମଣି ମହାନନ୍ଦ, ମାଲା ଶବର, ସୁଶ୍ରିମୟୀ ବିଭାର, ପୂର୍ଣ୍ଣମୀ ପଟେଲ, ସୁନୀତା ହୋତା, ବ୍ରହ୍ମାନନ୍ଦ ବନଛୋର, ମାନଭଞ୍ଜନ ସାହୁ, ଦେବଦତ୍ତ କଟା, ସନାତନ ବର୍ଲା, ତବିଥା ନାୟକ, ଆକାଂକ୍ଷା ଦୁବେ, ମୋନାଲିସା ମହାନନ୍ଦ, କମଳା ଦିଦି, କେଶବ ପଟ୍ଟନାୟକ ଓ ଭାରତୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
