ଶିଖରଚଣ୍ଡୀ, ଭୁବନେଶ୍ଵରରେ ଥିବା ଏକ ପର୍ଯ୍ୟଟକ ସ୍ଥାନ । ଏଠାରେ ଥିବା ପାହାଡ଼ର ଆୟତନ ପ୍ରାୟ ୨୫୦ଏକର ଓ ଏହି ପାହାଡ଼ ଉପରେ ଷଡ଼ଭୂଜା ଦେବୀ ଶିଖରଚଣ୍ଡୀଙ୍କର ଏକ ମନ୍ଦିର ରହିଛି ।
ପୌରାଣିକ ମତ ଅନୁଯାୟୀ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଏହିଠାରେ ଅବସ୍ଥାନ କରିଥିଲେ । ପାହାଡ଼ ଶିଖରରେ ଥିବା ଏକ ପ୍ରସ୍ତରରେ, ଶ୍ରୀରାମଚନ୍ଦ୍ରଙ୍କ ଅନୂଜ ଲକ୍ଷ୍ମଣ ନିଜ ତୀର ମୁନରେ ମା ଦୁର୍ଗାଙ୍କର ଅଷ୍ଟଭୂଜା ମୂର୍ତ୍ତୀ ଖୋଦେଇ କରି ପୂଜା କରୁଥିଲେ । ଲକ୍ଷ୍ମଣଙ୍କଦ୍ଵାରା ଏବେ ପୂଜା ପାଉଥିବା ଷଡ଼ଭୂଜା ପ୍ରତିମୂର୍ତ୍ତୀ ମଧ୍ୟ ପ୍ରତିଷ୍ଠିତ ହୋଇଥିଲା । ଏହି ପ୍ରତିମୂର୍ତ୍ତୀକୁ ଗଜପତି ମହାରାଜ ମୁକୁନ୍ଦଦେବଙ୍କ ଅମଳରେ ପୁନଃଶ୍ଚ ଆବିଷ୍କାର କରାଯାଇଥିଲା ଓ ସେବେଠାରୁ ଦେବୀଙ୍କର ନୀତି ସହ ପୂଜାର୍ଚ୍ଚନା କରାଯାଉଛି । ପାହାଡ଼ର ଦକ୍ଷିଣ ପାର୍ଶ୍ଵରେ ଥିବା ପାଣ୍ଡରା ଗୂମ୍ଫାରେ ପାଣ୍ଡବମାନେ ଅବସ୍ଥାନ କରୁଥିଲେ । ଏହି ଗୂମ୍ପା ନିକଟରେ ଭୀମ ଏକ ବିଶାଳ ପ୍ରସ୍ତର ପ୍ରତିଷ୍ଠା କରିଥିଲେ । ଏହି ପ୍ରସ୍ତର ସାମାନ୍ୟ ଆଙ୍ଗୁଠି ସ୍ପର୍ଶରେ ଦୋହଲିଯାଏ କିନ୍ତୁ ବର୍ଷା, ତୋଫାନ ବା ଭୂମିକମ୍ପ ହେଲେ ଅବିଚଳିତ ରହିଥାଏ । ସାରଙ୍ଗଗଡ଼(ପଟିଆ)ର ରାଜା ମଧ୍ୟ ଶିଖରଚଣ୍ଡୀଙ୍କ ଭକ୍ତ ଥିଲେ । ଶିଖରଚଣ୍ଡୀ ପୀଠରେ ଝାମୁ ଯାତ୍ରା ଏକ ମୁଖ୍ୟ ପର୍ବ ଭାବରେ ପାଳନ କରାଯାଇଥାଏ ।
ଶିଖରଚଣ୍ଡୀ ପାହାଡ଼ ଏକଦା, ବହୁ ବନ୍ୟଜନ୍ତୁଙ୍କ ଆଶ୍ରହସ୍ଥଳି ଥିଲା । ସାରଙ୍ଗଗଡ଼ର ଶିକାରୀ ଗଦାଧର ରାୟ ଓ ଚକ୍ରଧର ରାୟଙ୍କ ଶିକାର ଲେଖାରେ ଶିଖରଚଣ୍ଡୀ ପାହାଡ଼ରେ ବାଘର ଆତଙ୍କ କଥା ବର୍ଣ୍ଣନା କରାଯାଇଛି । ସ୍ଥାନୀୟ ଅଧିବାସୀଙ୍କ ମତରେ ଏଠାରେ ବହୁ ସଂଖ୍ୟକ ମୟୂର ଦେଖାଯାଉଥିଲେ, ଯାହା କାଳକ୍ରମେ କମିଯାଇଛନ୍ତି ।


