🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

 

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’ ଶୀର୍ଷକ ଜାତୀୟ ସେମିନାର ଆୟୋଜିତ ହୋଇଛି। ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟ ଅଧୀନ ଏମଏସଏମଇ-ଡିଏଫଓ, କଟକ ଓ ଦ ଉତ୍କଳ ଚେମ୍ୱର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ)ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ ପରିସରରେ ଏହି ସେମିନାର ହୋଇଥିଲା। ‘ମହିଳା ଉଦ୍ୟୋଗୀଙ୍କ ପାଇଁ ମାର୍କେଟିଂ, ଇ-କମର୍ସ ଓ ଯୋଜନା ସହାୟତା’ ଏହାର ବିଷୟବସ୍ତୁ ଥିଲା ।

ଦିନିକିଆ ଏହି ସେମିନାରରେ ପ୍ରାୟ ୧୧୦ ଜଣ ମହିଳା ଉଦ୍ୟୋଗୀ ଓ ବିଭିନ୍ନ ଅଂଶୀଦାର ଯୋଗଦେଇଥିଲେ। ଏଥିରେ ଡିଜିଟାଲ ମାର୍କେଟିଂ, ଇ-କମର୍ସ ପ୍ଲାଟଫର୍ମ, ସରକାରୀ ଯୋଜନା, ଅର୍ଥଯୋଗାଣର ସୁଯୋଗ ଏବଂ ବ୍ୟବସାୟକୁ ବିସ୍ତାର କରିବାର ବିଭିନ୍ନ ମାର୍ଗ ସମ୍ପର୍କରେ ଅଂଶଗ୍ରହଣକାରୀମାନେ ବ୍ୟବହାରିକ ତଥ୍ୟ ଓ ପରାମର୍ଶ ପାଇଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗର କମିଶନର-କମ-ସଚିବ ରଶ୍ମିତା ପଣ୍ଡା, ଆଇଏଏସ ଯୋଗଦେଇ ମହିଳା ଉଦ୍ୟୋଗୀଙ୍କ ଭୂମିକା ଓ ବିଭିନ୍ନ ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏମଏସଏମଇ-ଡିଏଫଓ, କଟକର ନିର୍ଦ୍ଦେଶକ ପି.କେ. ଗୁପ୍ତା ଆଇଇଡିଏସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ୟୁସିସିଆଇଏଲ ସଭାପତି ଡ. ପ୍ରବୋଧ ମହାନ୍ତି ଓ ୟୁସିସିଆଇଏଲ ସଚିବ ସଞ୍ଜୀବ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ।

ଏମଏସଏମଇ-ଡିଏଫଓ, କଟକର ନିର୍ଦ୍ଦେଶକ ଶ୍ରୀ ପି.କେ. ଗୁପ୍ତା କହିଥିଲେ, ମହିଳା ଉଦ୍ୟୋଗୀମାନେ ଦେଶର ଏମଏସଏମଇ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସରକାରୀ ଯୋଜନା, ଡିଜିଟାଲ ପ୍ଲାଟଫର୍ମ ଓ ବଜାର ସୁଯୋଗ ସମ୍ପର୍କରେ ସଚେତନତା ବଢ଼ାଇବା ସହ ବ୍ୟବସାୟକୁ ଅଧିକ ବଜାରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

ୟୁସିସିଆଇଏଲ ସମ୍ପାଦକ ଡ. ସଞ୍ଜୀବ ମହାପାତ୍ର କହିଥିଲେ, ଅନେକ ମହିଳା ନିଜ ଉଦ୍ୟୋଗକୁ ସଫଳତାର ସହ ଆଗକୁ ନେଉଥିଲେ ମଧ୍ୟ ସରକାରୀ ଯୋଜନା, ଡିଜିଟାଲ ପ୍ଲାଟଫର୍ମ ଓ ବଜାର ସଂଯୋଗ ସମ୍ପର୍କରେ ସମସ୍ତଙ୍କ ପାଖରେ ପର୍ଯ୍ୟାପ୍ତ ସୂଚନା ନାହିଁ। ତେଣୁ ବ୍ରାଣ୍ଡିଂ, ମାର୍କେଟିଂ, ଡିଜିଟାଲ ପ୍ଲାଟଫର୍ମ ଓ ବଜାର ସୁଯୋଗ ସମ୍ପର୍କରେ ମହିଳା ଉଦ୍ୟୋଗୀଙ୍କୁ ସଚେତନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଆଗାମୀ ଦିନରେ ଝାରସୁଗୁଡ଼ା, ଯାଜପୁର ଓ ସୁନ୍ଦରଗଡ଼ ଭଳି ଶିଳ୍ପ ଜିଲ୍ଲାକୁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରଣ କରାଯିବ ।

ସେମିନାରରେ ଦୁଇଟି ବୈଷୟିକ ଅଧିବେଶନ ହୋଇଥିଲା।ଏଥିରେ ମିଶୋ, ଜିଇଏମ, ଓର୍ମାସ ଓ ଓଏନ୍ଡିସି ଭଳି ଡିଜିଟାଲ ପ୍ଲାଟଫର୍ମ ସହ ଏମଏସଏମଇ ଯୋଜନା, ସିଡ୍ୱି, ପିଏମଇଜିପି ଓ ଜାତୀୟ ଏସ୍ସି-ଏସ୍ଟି ହବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ ଓ ପ୍ରଶ୍ନୋତ୍ତର ଅଧିବେଶନ ମଧ୍ୟ ହୋଇଥିଲା। ଶେଷରେ ଏମଏସଏମଇ-ଡିଏଫଓ କଟକର ସହକାରୀ ନିର୍ଦ୍ଦେଶକ ଦିୱାକାର ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post Next Post