
କେନ୍ଦୁଝର (ତା. ୩୦ । ୦୯) ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ଆଜି ଭୋର ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଆହତ ବ୍ୟକ୍ତିଜଣକ ପୋଇପାଣି ଗ୍ରାମର ଗୋବର୍ଦ୍ଧନ ମହାନ୍ତ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଗୋବର୍ଦ୍ଧନ ଆଜି ଭୋରୁ ଗ୍ରାମ ନିକଟସ୍ଥ ଏକ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ବଣୁଆ ଭାଲୁ ହଠାତ୍ ବାହାରି ଆସି ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ତାଙ୍କ ପେଟ, ଛାତି ଓ ହାତରେ ଗଭୀର ଆଘାତ ଲାଗି ସେ ରକ୍ତାକ୍ତ ହୋଇପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଭାଲୁଟି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା।
ଗ୍ରାମବାସୀ ତୁରନ୍ତ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଭାଲୁ ଆତଙ୍କ ଖେଳିଯାଇଛି।
ଏ ସମ୍ପର୍କରେ ପାଟଣା ବନପାଳ ନିରଞ୍ଜନ ସେଠୀ କହିଛନ୍ତି ଯେ, ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଭାଲୁର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଏଥିସହ ଭୋର କିମ୍ବା ରାତି ସମୟରେ ଏକୁଟିଆ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳକୁ ନଯାଇ ସତର୍କ ରହିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି।
