🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଖୁଣ୍ଟାପଡ଼ାରେ ଚାଞ୍ଚଲ୍ୟ: ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କୁ ହାଣି, ଗୁଳି କରି ନିର୍ମମ ହତ୍ୟା; ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ


ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍‌ପି; ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ବର୍ବରୋଚିତ ତଥା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଯାଇଛି। ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଜଣେ ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ପ୍ରଥମେ ଭୁଜାଲିରେ ହାଣି ରକ୍ତାକ୍ତ କରିବା ପରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି ଚଳାଇ ତାଙ୍କ ଜୀବନ ନେଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ତ୍ରିଲୋଚନ ମହାନ୍ତ।

ସୂଚନା ଅନୁଯାୟୀ, ତ୍ରିଲୋଚନଙ୍କ ପତ୍ନୀ ପାଟଣା ଥାନାରେ ମହିଳା କନେଷ୍ଟବଳ ଭାବେ କାର୍ଯ୍ୟରତ। ତ୍ରିଲୋଚନ କେନ୍ଦେଇପଶି ବଜାରରେ ଏକ ଜନସେବା କେନ୍ଦ୍ର (CSC) ପରିଚାଳନା କରୁଥିଲେ। ପ୍ରତିଦିନ ଭଳି ଗତକାଲି ବିଳମ୍ବିତ ରାତିରେ ସେ ଦୋକାନ ବନ୍ଦ କରି ନଗଦ ଟଙ୍କା ଧରି ପାଟଣାସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ତେବେ ଖୁଣ୍ଟାପଡ଼ା ନିକଟସ୍ଥ ଏକ ନିଛାଟିଆ ରାସ୍ତାରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ହଠାତ୍ ତାଙ୍କ ବାଇକ୍ ଅଟକାଇ ଆକ୍ରମଣ କରିଥିଲେ।

ଲୁଟେରାମାନେ ପ୍ରଥମେ ତାଙ୍କ ଉପରକୁ ଧାରୁଆ ଭୁଜାଲିରେ ପ୍ରହାର କରିବା ସହ ଅତି ନିକଟରୁ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତ୍ରିଲୋଚନ ଟଳି ପଡ଼ିଥିଲେ। ହତ୍ୟାକାଣ୍ଡ ଭିଆଇବା ପରେ ଦୁର୍ବୃତ୍ତମାନେ ତାଙ୍କ ନିକଟରେ ଥିବା ସମସ୍ତ ଲକ୍ଷାଧିକ ଟଙ୍କା ଲୁଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସହ ଆତଙ୍କ ଖେଳିଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଜଣେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ସହ ଏଭଳି ଅମାନୁଷିକ କାଣ୍ଡ ଘଟିଥିବାରୁ ଏସ୍‌ପି ଗଭୀର ଶୋକ ପ୍ରକାଶ କରିବା ସହ ଅପରାଧୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।



ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୩ଟି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ଏହା ସହିତ ସାଇଣ୍ଟିଫିକ୍ ଟିମ୍ ଏବଂ ବୈଷୟିକ (ଟେକ୍ନିକାଲ) ଟିମ୍ ଘଟଣାସ୍ଥଳରୁ ଫିଙ୍ଗରପ୍ରିଣ୍ଟ ସମେତ ଗୁରୁତ୍ୱପୂର୍ଣ୍ଣ ସୁରାକ ସଂଗ୍ରହ କରିଛନ୍ତି। ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ପି ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି।

Previous Post Next Post