
ଦୈନନ୍ଦିନ ଖବର ସଂଗ୍ରହର ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ସାମ୍ବାଦିକମାନେ ଏହି ଭେଟଘାଟରେ ସାମିଲ ହୋଇଥିଲେ। ନୂଆଁଖାଇର ପରମ୍ପରା, ସଂସ୍କୃତିର ସୁରକ୍ଷା ସହ ଅଞ୍ଚଳର ବିକାଶରେ ଗଣମାଧ୍ୟମର ଭୂମିକାକୁ ନେଇ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ଧର୍ମଗଡ଼ ‘ସକାଳ’ ପ୍ରତିନିଧି ଆଶୁତୋଷ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ, ସୁବାସ ବାଗ, ସାମ୍ବାଦିକ ଖଗପତି ନାଏକ ଓ ପଦ୍ମନ ବେମାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି ଭଳି ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଗଣମାଧ୍ୟମରେ ଉପସ୍ଥାପନ କରିବା ସହ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସାମ୍ବାଦିକମାନେ ମିଳିତ ଭାବେ ଉଦ୍ୟମ କରିବା ଉପରେ ମତ ପ୍ରକାଶ ପାଇଥିଲା।
ବୈଠକରେ ଯଦୁମଣି ଦୁର୍ଗା, ଉପେନ୍ଦ୍ର ନାଏକ, ଦିଲୀପ ଦୁରିଆ, ଚିତ୍ତରଞ୍ଜନ ନାଏକ, ରାଜେଶ ନାଏକ, ହୁକିମ ବିଶି, ଖଗପତି ନାଏକ, ପ୍ରଦୀପ ସେଠିଆ, ଆମୋଜ ଧରୁଆ ଓ ଉଦିତ ଠାକୁର ପ୍ରମୁଖ ସାମିଲ ହୋଇଥିଲେ। ଗ୍ରାମାଞ୍ଚଳର ବିକାଶ ଓ ଜନସମସ୍ୟା ସମାଧାନରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ରହିବା ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ।
କାର୍ଯ୍ୟକ୍ରମକୁ ରୁପେନ୍ଦ୍ର ସୁନାନି ପରିଚାଳନା କରିଥିଲେ। ଶେଷରେ ଦଣ୍ଡପାଟ ଅଞ୍ଚଳର ବିକାଶ, ଜନସାଧାରଣଙ୍କ ସମସ୍ୟା ଏବଂ ଆଞ୍ଚଳିକ ସ୍ୱାର୍ଥ ସମ୍ପର୍କିତ ଖବରକୁ ଗୁରୁତ୍ୱ ଦେଇ ସାମ୍ବାଦିକ ସଂଘ ଆଗାମୀ ଦିନରେ ମଧ୍ୟ କାର୍ଯ୍ୟ କରିବ ବୋଲି ସଂକଳ୍ପ ପ୍ରକାଶ ପାଇଥିଲା।
