
ପାଟଣା (ଦଶରଥ ବାରିକ୍) ପାଟଣା ବ୍ଲକ ଅନ୍ତର୍ଗତ କୁଆପଶି ଗ୍ରାମରେ ବ୍ଲକସ୍ତରୀୟ କରମ ପର୍ବ ପାଳନ ନିମନ୍ତେ କୁଡୁମୀ ସମାଜ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ରବିବାର ପବିତ୍ର ବୈତରଣୀ ନଦୀରୁ ବିଧିବଦ୍ଧ ଭାବେ 'ଜାୱା' ଉଠାଯାଇଛି। ପରମ୍ପରା ଅନୁସାରେ, ସମାଜର ଶତାଧିକ ମହିଳା ଓ ପୁରୁଷ ବୈତରଣୀ ନଦୀର ଧାନବେଣୀ ଘାଟରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା ପୂର୍ବକ ଜାୱା ଉଠାଇଥିଲେ। ଏହାପରେ ପାରମ୍ପରିକ ପୋଷାକ ପରିଧାନ କରି ମହିଳା ଓ ପୁରୁଷମାନେ ଢୋଲ, ମାଦଳ ଓ ବିଭିନ୍ନ ବାଦ୍ୟର ତାଳେ ତାଳେ ଝୁମର ନୃତ୍ୟ-ଗୀତ ପରିବେଷଣ କରି ଜାୱାକୁ କୁଆପଶି କରମ ଆଖଡା ସ୍ଥଳକୁ ପାଛୋଟି ଆଣିଥିଲେ। ବାଦ୍ୟର ତାଳ ଓ ଝୁମର ଗୀତରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା । କୁଡୁମୀ ସମାଜର ମହାନ ଲୋକସଂସ୍କୃତି, ପରମ୍ପରା ଓ କଳାର ସଂରକ୍ଷଣ ସହିତ ସାମାଜିକ ଏକତା ସୃଷ୍ଟି କରିବା ଏହି ପର୍ବର ମୂଳ ଉଦ୍ଦେଶ୍ୟ। ସେପ୍ଟେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆକର୍ଷଣୀୟ ଝୁମର ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଶୋଭାଯାତ୍ରା ଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା କୁଡୁମୀ ସମାଜର ବରିଷ୍ଠ ଉପଦେଷ୍ଟା ଲାଲମୋହନ ମହାନ୍ତ ଯୋଗଦେଇଥିଲେ। କରମ କମିଟି ସଭାପତି ପୁଷ୍ପଲତା ମହାନ୍ତ, ସମ୍ପାଦକ ଦମୟନ୍ତୀ ମହାନ୍ତ, କୋଷାଧ୍ୟକ୍ଷ ଅର୍ଜୁନ ଚରଣ ମହାନ୍ତ, ଓଡ଼ିଶା କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ରାଜ୍ୟ ଯୁବ ସମ୍ପାଦକ ବିଶ୍ୱଜିତ ମହାନ୍ତ, ସଂଯୋଜକ ତଥା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ତ୍ରିନାଥ ମହାନ୍ତ, ଖଗେଶ୍ୱର ମହାନ୍ତ, ପବିତ୍ର ମହାନ୍ତ, ବସନ୍ତ କୁମାର ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ବିରଞ୍ଚି ମହାନ୍ତ, ପ୍ରମିଳା ମହାନ୍ତ, କଲ୍ୟାଣୀ ମହାନ୍ତ, ଫକୀର ମୋହନ ମହାନ୍ତ ଓ ସୌମ୍ୟରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
