
ଭବାନୀପାଟଣା: ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ, ଓଡ଼ିଶା ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକର ପ୍ରଭାବ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଦେଖିବାକୁ ମିଳିଥିଲା। ଉଭୟ ସଂଗଠନର ମିଳିତ ଉଦ୍ୟମରେ ସହରର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା।
ଏହି ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଶ୍ରୀ ଲିଙ୍ଗରାଜ ପ୍ରଧାନ, ସହ-ସଂଯୋଜକ ଶ୍ରୀ ହେରମ୍ବ ସେନାପତି, ମା’ ମାଟି ମାଳିର ଉପଦେଷ୍ଟା ଶ୍ରୀ ସୁରେଶ ସଂଗ୍ରାମ, ଛାତ୍ର ସଂଗଠନର ସଭାପତି ଶ୍ରୀ ଅଭିଜିତ ଶତପଥି, କଳାହାଣ୍ଡି ଜିଲ୍ଲା ଯୁବ ସମ୍ପାଦକ ଶ୍ରୀ ମହମ୍ମଦ ଇୟାଁଜ, ସମାଜସେବୀ ଶ୍ରୀ ଅନିଲ ସା’ ଏବଂ ବ୍ଲକ ସଂଯୋଜକ ଶ୍ରୀ ଶରତ ନାଏକଙ୍କ ସମେତ ବହୁ କର୍ମକର୍ତ୍ତା ଓ ସମର୍ଥକ ସାମିଲ ହୋଇଥିଲେ।
ଆନ୍ଦୋଳନଟି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିବା ଜଣାପଡ଼ିଛି। ଆଜି OTET ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀଙ୍କ ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଆନ୍ଦୋଳନକାରୀମାନେ ଗୁରୁତ୍ୱ ଦେଇଥିଲେ। ସେହିପରି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ଆବଶ୍ୟକୀୟ ଯାତାୟାତକୁ ମଧ୍ୟ ବାଧା ନଦେବା ପାଇଁ ଧ୍ୟାନ ଦିଆଯାଇଥିଲା।
ବନ୍ଦ ପାଳନ ସମୟରେ ଭବାନୀପାଟଣା ପୋଲିସ ପ୍ରଶାସନ ଓ ସହରବାସୀଙ୍କ ପକ୍ଷରୁ ମଧ୍ୟ ସହଯୋଗ ମିଳିଥିବା ସଂଗଠନ ପକ୍ଷରୁ କୁହାଯାଇଛି। ସମଗ୍ର କାର୍ଯ୍ୟକ୍ରମ ଶାନ୍ତି ଓ ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା।
