🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

କରମ ପର୍ବ ପାଇଁ ବୈତରଣୀରୁ ଉଠିଲା ‘ଜାୱା’: କୁଆପଶିରେ ତିନିଦିନିଆ ବ୍ଲକସ୍ତରୀୟ ଉତ୍ସବ ଆରମ୍ଭ


ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କୁଆପଶିଠାରେ ଆରମ୍ଭ ହୋଇଛି କୁଡୁମୀ ସମାଜର ମହାନ ଗଣପର୍ବ ‘କରମ’। ଏହି ଅବସରରେ କୁଆପଶିରେ ବ୍ଲକସ୍ତରୀୟ ତିନିଦିନିଆ କରମ ମହୋତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରବିବାର ପାରମ୍ପରିକ ରୀତିନୀତି ଅନୁଯାୟୀ ବୈତରଣୀ ନଦୀରୁ ‘ଜାୱା’ ଉଠାଯାଇଛି।ରବିବାର ପୂର୍ବାହ୍ନରେ କୁଡୁମୀ ସମାଜର ଶତାଧିକ ମହିଳା ଓ ପୁରୁଷ ପାରମ୍ପରିକ ବେଶଭୂଷାରେ ବୈତରଣୀ ନଦୀର ଧାନବେଣୀ ଘାଟରେ ପହଞ୍ଚିଥିଲେ। ସେଠାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିବା ପରେ ଜାୱା ଉଠାଇଥିଲେ। ପରେ ଧାନବେଣୀ ଘାଟରୁ ଝୁମର ନୃତ୍ୟ, ଗୀତ ସହ ଢୋଲ, ମାଦଳ ଓ ଧାମସାର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରାରେ ଜାୱାକୁ କୁଆପଶି ଗ୍ରାମର କରମ ଆଖଡା ସ୍ଥଳକୁ ଅଣାଯାଇଥିଲା। ପାରମ୍ପରିକ ବାଦ୍ୟର ଝଙ୍କାର ଓ ମନମୁଗ୍ଧକର ଝୁମର ନୃତ୍ୟରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା।କୁଡୁମୀ ସମାଜର କଳା, ସଂସ୍କୃତି, ପରମ୍ପରା, ଲୋକନୃତ୍ୟ ଓ ଲୋକଗୀତର ସଂରକ୍ଷଣ ସହିତ ସାମାଜିକ ଏକତା ବଜାୟ ରଖିବା ଲକ୍ଷ୍ୟରେ କୁଆପଶିଠାରେ ସେପ୍ଟେମ୍ବର ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେଉଛି। ଏଥିରେ ବିଭିନ୍ନ ପାରମ୍ପରିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ତଥା କୁଡୁମୀ ସମାଜର ବରିଷ୍ଠ ଉପଦେଷ୍ଟା ଲାଲମୋହନ ମହାନ୍ତ ଯୋଗଦେଇଥିଲେ। କରମ କମିଟି ସଭାପତି ପୁଷ୍ପଲତା ମହାନ୍ତ, ସମ୍ପାଦକ ଦମୟନ୍ତୀ ମହାନ୍ତ, କୋଷାଧ୍ୟକ୍ଷ ଅର୍ଜୁନ ଚରଣ ମହାନ୍ତ, ଓଡ଼ିଶା କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ରାଜ୍ୟ ଯୁବ ସମ୍ପାଦକ ବିଶ୍ୱଜିତ ମହାନ୍ତ, ସଂଯୋଜକ ତଥା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ତ୍ରିନାଥ ମହାନ୍ତ, ଖଗେଶ୍ୱର ମହାନ୍ତ, ପବିତ୍ର ମହାନ୍ତ, ବସନ୍ତ କୁମାର ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ବିରଞ୍ଚି ମହାନ୍ତ, ପ୍ରମିଳା ମହାନ୍ତ, କଲ୍ୟାଣୀ ମହାନ୍ତ, ଫକୀର ମୋହନ ମହାନ୍ତ ଓ ସୌମ୍ୟରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Previous Post Next Post