
ପାଟଣା(୨୨ | ୦୯) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ସରାସକୋଲା ଗ୍ରାମରେ ଏକ ବାଡ଼ି କୂଅରୁ ଜୀବନ୍ତ ବାର୍ହାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଜିତେନ୍ଦ୍ର ବେହେରାଙ୍କ ବାଡ଼ି ପଛପଟେ ଥିବା କୂଅ ଭିତରକୁ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଏକ ବାର୍ହା ଖସିପଡ଼ିଥିଲା। ଆଜି ସକାଳୁ ପରିବାର ଲୋକେ କୂଅ ଭିତରୁ ଶବ୍ଦ ଶୁଣି ଯାଞ୍ଚ କରିବା ପରେ ବାର୍ହାଟି ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ତୁରନ୍ତ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ପାଟଣା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଦଉଡ଼ି ଓ ଜାଲ ସାହାଯ୍ୟରେ ଦୀର୍ଘ ସମୟର କସରତ ପରେ ବାର୍ହାଟିକୁ ବିନା କୌଣସି କ୍ଷୟକ୍ଷତିରେ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ପରେ ବାର୍ହାଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ତ୍ୱରିତ ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
