
ଏହି ଅବସରରେ ମାନ୍ୟବର ବିଧାୟକ, ନୂଆପଡ଼ା ଜୟ ଢୋଲକିଆ, ମାନ୍ୟବର କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି, ପ୍ରେମ ଅଗରୱାଲ, ପଞ୍ଚାୟତ ସମିତି ନୂଆପଡ଼ା ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଲ୍କର, ଜିଲ୍ଲା ପରିଷଦ ସଦସ୍ୟ ଉମା ଠାକୁର ଓ ଭାରତ ଲାଲ ରାଉତ, ସାହୁ ସମାଜ ସଭାପତି ଧନୀରାମ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୂଆପଡ଼ା ରୋହିତ ଭୋଇ, ତହସିଲଦାର, ନୂଆପଡ଼ା ଲଲାତେନ୍ଦୁ ଦଣ୍ଡସେନାଙ୍କ ସମେତ ବ୍ଲକ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ।
‘ସେବା ସେତୁ’ ଶିବିରକୁ ଏକ ଏକୀକୃତ ସେବା କେନ୍ଦ୍ର ଭାବେ ଆୟୋଜନ କରାଯାଇଥିବାରୁ ନାଗରିକମାନେ ଗୋଟିଏ ସ୍ଥାନରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜାଣିବା, ଯୋଗ୍ୟତା ଯାଞ୍ଚ କରିବା, ପଞ୍ଜୀକରଣ ଓ ଆବେଦନ ଦାଖଲ କରିବା ସହ ପୂର୍ବରୁ ଦାଖଲ ହୋଇଥିବା ଆବେଦନର ସ୍ଥିତି ସମ୍ପର୍କରେ ଆବଶ୍ୟକ ସହାୟତା ପାଇଥିଲେ।
ଶିବିରରେ ଶ୍ରମ, କୃଷି, ସ୍ୱାସ୍ଥ୍ୟ, ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ, ଖାଉଟି, ମହିଳା ଓ ଶିଶୁ ବିକାଶ, ରାଜସ୍ୱ, ସାମାଜିକ ସୁରକ୍ଷା, ଆଧାର ପଞ୍ଜୀକରଣ, ଶିଳ୍ପ ଓ ଗ୍ରାମୀଣ ଆବାସ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇ ଜନସାଧାରଣଙ୍କୁ ବିଭାଗୀୟ ଯୋଜନା ଓ ସେବା ସମ୍ପର୍କରେ ସୂଚନା ଏବଂ ଆବଶ୍ୟକ ସହାୟତା ପ୍ରଦାନ କରିଥିଲେ।
ଶିବିରରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ବିଭିନ୍ନ ପେନସନ୍, ଆବାସ, ସ୍ୱାସ୍ଥ୍ୟ, କୃଷି, ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଯୋଗ୍ୟ ହିତାଧିକାରୀଙ୍କୁ ଶିବିରସ୍ଥଳରେ ଆବେଦନ ପୂରଣ ଓ ଦାଖଲ କରିବାରେ ବିଭାଗୀୟ ଅଧିକାରୀମାନେ ମାର୍ଗଦର୍ଶନ କରିଥିଲେ।
ଏହି ଅବସରରେ ଶ୍ରମ ଓ ଇଏସ୍ଆଇ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ଜଣେ ମହିଳା ହିତାଧିକାରୀଙ୍କୁ ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦକୁ ୩,୦୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୯ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦକୁ ପ୍ରତ୍ୟେକଙ୍କୁ ୫୦ ହଜାର ହିସାବରେ ମୋଟ ୪,୫୦,୦୦୦ ଟଙ୍କା ଏବଂ ୨ ଜଣ ହିତାଧିକାରୀଙ୍କୁ ସନ୍ତାନଙ୍କ ଶିକ୍ଷା ପାଇଁ ପ୍ରତ୍ୟେକଙ୍କୁ ୮,୪୦୦ ଟଙ୍କା ହିସାବରେ ମୋଟ ୧୬,୮୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏହିପରି ସର୍ବମୋଟ ୧୨ ଜଣ ହିତାଧିକାରୀଙ୍କୁ ୭,୭୧,୮୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ସେହିପରି ଖାଉଟି ବିଭାଗ ପକ୍ଷରୁ ୮ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ରାସନ ବିତରଣ ପୁସ୍ତିକା ପ୍ରଦାନ କରାଯାଇଥିଲା।
‘ସେବା ସେତୁ’ ଶିବିର ମାଧ୍ୟମରେ ବିଭିନ୍ନ ବିଭାଗର ସେବାକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଯାଇ ଯୋଜନାର ଲାଭ ପାଇବା ପ୍ରକ୍ରିୟାକୁ ଅଧିକ ସରଳ, ସୁବିଧାଜନକ ଓ ଲୋକାଭିମୁଖୀ କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ଓ ସେବାର ସୁଫଳ ସ୍ୱଚ୍ଛ, ସୁବିଧାଜନକ ଓ ସମୟୋଚିତ ଭାବେ ପହଞ୍ଚାଇବା ଦିଗରେ ଏହି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।
ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ।
