🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଯବାନଙ୍କ ସହ ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜବୁତ କରିଛି ରକ୍ଷାବନ୍ଧନ ପର୍ବ

ନୂଆପଡ଼ା, ୨୮/୮: ଦେଶର ସୁରକ୍ଷା ପାଇଁ ଘରଠାରୁ ଦୂରରେ ରହି ନିରନ୍ତର କର୍ତ୍ତବ୍ୟରେ ନିୟୋଜିତ ସିଆରପିଏଫ୍ ଯବାନଙ୍କ ସହ ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜବୁତ କରିଛି ରକ୍ଷାବନ୍ଧନ ପର୍ବ। ରକ୍ଷାବନ୍ଧନ ଅବସରରେ ଷ୍ଟୁଡେଣ୍ଟସ୍ ରକ୍ତଦାତା ମହାସଂଘ, ନୂଆପଡ଼ା ପକ୍ଷରୁ ପାଗରପାଣିସ୍ଥିତ ୧୯ ବ୍ୟାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ଏକ ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ମହାସଂଘର ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କ ସୁସ୍ଥତା, ଦୀର୍ଘାୟୁ ଓ କର୍ତ୍ତବ୍ୟ ପାଳନରେ ସଫଳତା କାମନା କରିଥିଲେ। ଯବାନମାନେ ମଧ୍ୟ ଏହି ସ୍ନେହ ଓ ଭାଇଚାରାର ମୁହୂର୍ତ୍ତକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ଫଳରେ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ଓ ଆତ୍ମୀୟ ପରିବେଶ ସୃଷ୍ଟି ହୋଇଥିଲା।

କାର୍ଯ୍ୟକ୍ରମରେ ୧୯ ବ୍ୟାଟାଲିୟନ ସିଆରପିଏଫ୍‌ର ଡେପୁଟି କମାଣ୍ଡାଣ୍ଟ ଅନିଲ କୁମାର ୟେଡ୍ଲା ଉପସ୍ଥିତ ରହି ଯବାନ ଓ ମହାସଂଘର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ସେ ଷ୍ଟୁଡେଣ୍ଟସ୍ ରକ୍ତଦାତା ମହାସଂଘର ଏଭଳି ସାମାଜିକ ଓ ମାନବିକ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାସଂଘର ପ୍ରତିଷ୍ଠାତା ହର୍ଷବର୍ଧନ ବାଗ, ସଭାପତି ଦେବଧର ବନଛୋର, ଉପସଭାପତି ତିଳକ ସତନାମୀ, କୋଷାଧ୍ୟକ୍ଷ ପ୍ରତିଭା ପଟେଲଙ୍କ ସମେତ ବିନୋଦ ପାଣ୍ଡେ, ଈଶ୍ୱରୀ ମାଝୀ, ନର୍ମଦା ସାହୁ, ଶୀତଳ ସତନାମୀ, ଗୀତାଞ୍ଜଳୀ ତାଣ୍ଡି ଓ ବସନ୍ତୀ ବିଭାର ପ୍ରମୁଖ ଉପସ୍ଥିତ ଥିଲେ।ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କର୍ତ୍ତବ୍ୟରେ ନିୟୋଜିତ ଯବାନମାନଙ୍କ ଅବଦାନକୁ ସମ୍ମାନ ଜଣାଇ ସମସ୍ତେ ସେମାନଙ୍କ ସହ ରକ୍ଷାବନ୍ଧନର ଖୁସି ବାଣ୍ଟିଥିଲେ। ଶେଷରେ ସିଆରପିଏଫ୍ ଅଧିକାରୀ ଓ ଯବାନମାନେ ମହାସଂଘର ସଦସ୍ୟ ଓ ଭଉଣୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଖୀର ପବିତ୍ର ବନ୍ଧନ ଓ ଦେଶପ୍ରେମର ଭାବନାରେ ସମଗ୍ର କାର୍ଯ୍ୟକ୍ରମ ଏକ ସୌହାର୍ଦ୍ୟପୂର୍ଣ୍ଣ ଓ ଭାବବିହ୍ୱଳ ପରିବେଶରେ ସମ୍ପନ୍ନ ହୋଇଥିଲା ।

Previous Post Next Post